Class 10 Life science Textbook Solution Chapter 1 BSE Odisha
All Questions and Answers
1. ଆଲୋକଶ୍ଲେଷଣ କ’ଣ ? ସବୁଜ ଉଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନ କର ।
2. ଖାଦ୍ୟର ପ୍ରକାରଭେଦ, ଉଦାହରଣ ସହ ଲେଖ ।
3. ପରଭୋଜୀ ପୋଷଣ କ’ଣ ? ପରଭୋଜୀ ପୋଷଣର ପ୍ରକାରଭେଦ ଉଦାହରଣ ସହ ଚୁଝାଅ ।
4. ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ। ପାଟିରେ ଖାଦ୍ୟର ପରିବର୍ଭନ କିପରି ହୋଇଥାଏ ବୁଝାଅ ।
5. ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ ।
6. ପାକନଳୀ ସହ ଜଡ଼ିତ ଗ୍ରନ୍ଥି ଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ।
7. ସଂକ୍ଷିପ୍ତ ଉତ୍ତର ଦିଅ ।
8. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
9. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
10. ଶୂନ୍ୟସ୍ଥାନ ପୂରଣ କର ।
11. ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
12. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
Answer
1. ଆଲୋକଶ୍ଲେଷଣ କ’ଣ ? ସବୁଜ ଉଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନ କର ।
Answer : ଆଲୋକଶ୍ଳେଷଣ (Photosynthesis)ହେଉଛି ଏକ ଜୈବ-ରାସାୟନିକ ପ୍ରକ୍ରିୟା, ଯାହା ଦ୍ୱାରା ସବୁଜ ଉଦ୍ଭିଦ ନିଜ ପତ୍ରର ସବୁଜକଣା (Chlorophyll) ମାଧ୍ୟମରେ ସୂର୍ଯ୍ୟ ଆଲୋକ, ଜଳ ଓ ଅଙ୍ଗାରକାମ୍ଳ (CO₂) ବ୍ୟବହାର କରି ଶ୍ଵେତସାର (Glucose) ତିଆରି କରନ୍ତି ଓ ଅମ୍ଳଜାନ (O₂) ମୁକ୍ତ କରନ୍ତି।
ସାଧାରଣ ସମୀକରଣ:
6CO₂ + 6H₂O → C₆H₁₂O₆ + 6O₂
(Chlorophyll ଓ Light ଉପସ୍ଥିତିରେ)
ଏହି ପ୍ରକ୍ରିୟା କିପରି ହୋଇଥାଏ:
ପତ୍ରର କ୍ଲୋରୋପ୍ଲାଷ୍ଟ ଭିତରେ ଥିବା ଥାଇଲାକଏଡ଼ ଝିଲ୍ଲୀ ଉପରେ ଆଲୋକ ପଡ଼ିଲେ, ଜଳ ଭାଙ୍ଗି ଅମ୍ଳଜାନ ମୁକ୍ତ ହୁଏ।
ଏହି ପ୍ରଥମ ପର୍ଯ୍ୟାୟକୁ ଆଲୋକ ପ୍ରକ୍ରିୟା (Light Reaction) କୁହାଯାଏ, ଯାହାରେ ATP ଓ NADPH ତିଆରି ହୁଏ।
ଦ୍ଵିତୀୟ ପର୍ଯ୍ୟାୟ ହେଉଛି ଅନ୍ଧକାର ପ୍ରକ୍ରିୟା (Dark Reaction), ଯାହା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମା ରେ ଘଟେ। ଏଠିରେ CO₂ ଓ Light Reaction ର ATP, NADPH ବ୍ୟବହାର ହୋଇ ଗ୍ଲୁକୋଜ୍ ତିଆରି ହୁଏ।
ମହତ୍ତ୍ୱ:
- ଏହା ଦ୍ୱାରା ଉଦ୍ଭିଦ ନିଜ ଖାଦ୍ୟ ପ୍ରସ୍ତୁତ କରନ୍ତି।
- ବାୟୁମଣ୍ଡଳରେ ଅମ୍ଳଜାନ ଯୋଗାଉଥିବା ଏହି ମୁଖ୍ୟ ପ୍ରକ୍ରିୟା।
- ସମସ୍ତ ପ୍ରଜାତି ପାଇଁ ଖାଦ୍ୟ ଓ ଶ୍ୱାସ ଲାଗି ଅମ୍ଳଜାନ ଦେଇଥାଏ।
2. ଖାଦ୍ୟର ପ୍ରକାରଭେଦ, ଉଦାହରଣ ସହ ଲେଖ ।
Answer: ମଣିଷ ଶରୀର ସଠିକ୍ ଭାବେ ବଢ଼ିବା, ଶକ୍ତି ମିଳିବା ଓ ରୋଗ ପ୍ରତିରୋଧ କ୍ଷମତା ରଖିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଆବଶ୍ୟକ।ଖାଦ୍ୟକୁ ମୁଖ୍ୟତଃ 6 ଭାଗରେ ବିଭକ୍ତ କରାଯାଇଛି; ଯଥା-ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ ।
1. ଶ୍ଵେତସାର (Carbohydrates):
କାମ: ଶରୀର ପାଇଁ ମୁଖ୍ୟ ଶକ୍ତି ଉତ୍ସ
ଉଦାହରଣ: ଭାତ, ଆଳୁ, ଚିନି, ଗୁଡ଼
2. ପୁଷ୍ଟିସାର (Proteins):
କାମ: ଶରୀର ବୃଦ୍ଧି, କୋଷ ମରାମତି ଓ ଗଠନ
ଉଦାହରଣ: ମାଛ, ଡାଲି, ମାଂସ, ଛେନା, ସୋୟାବିନ୍
3. ସ୍ନେହସାର / ଚର୍ବି (Fats):
କାମ: ଶକ୍ତି ଆଶ୍ରୟ ଭାବେ ରହିଥାଏ ଓ ଶରୀରକୁ ଉଷ୍ମତା ଦିଏ
ଉଦାହରଣ: ଘିଅ, ବଟର, ତେଲ, ମାଂସ
4. ଭିଟାମିନ୍ (Vitamins):
କାମ: ଶରୀରର ବିଭିନ୍ନ ଜୈବ କ୍ରିୟାରେ ସାହାଯ୍ୟ କରେ, ରୋଗ ପ୍ରତିରୋଧ କ୍ଷମତା ବଢ଼ାଏ
ଉଦାହରଣ: ଫଳ (ଲେମ୍ବୁ, କମଳା), ଶାକ, ଦୂଧ, ଗାଜର (Vitamin A)
5. ଧାତୁସାର / ଖଣିଜ (Minerals):
କାମ: ଶରୀର ଗଠନ, ରକ୍ତ ତିଆରି, ହାଡ଼ ମଜବୁତ କରେ
ଉଦାହରଣ: ଲୌହ (ପାଳଙ୍ଗ ଶାଗ), କ୍ୟାଲସିୟମ୍ (ଦୂଧ), ଆୟଡିନ୍ (ଖାଦ୍ୟ ଲୁଣ)
6. ଜଳ (Water):
କାମ: ଶରୀର ଜୀବନ୍ତ କାର୍ଯ୍ୟ ଚାଳନ, ଜଳିୟ ରାସାୟନିକ କ୍ରିୟା ପାଇଁ ଆବଶ୍ୟକ
ଉଦାହରଣ: ପାଣି, ଫଳରସ, ମିଳିଜୁଳି ଖାଦ୍ୟ
3.ପରଭୋଜୀ ପୋଷଣ କ’ଣ ? ପରଭୋଜୀ ପୋଷଣର ପ୍ରକାରଭେଦ ଉଦାହରଣ ସହ ଚୁଝାଅ ।
Answer: ପରଭୋଜୀ ପୋଷଣ (Heterotrophic Nutrition) ହେଉଛି ଏମିତି ଏକ ପୋଷଣ ପ୍ରଣାଳୀ, ଯାହାରେ ଜୀବମାନେ ନିଜେ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ, ବରଂ ଅନ୍ୟ ଜୀବ (ଉଦ୍ଭିଦ ବା ପ୍ରାଣୀ) ଉପରେ ନିର୍ଭର କରନ୍ତି। ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ
ପରଭୋଜୀ ପୋଷଣ ମୁଖ୍ୟତଃ ଚାରିପ୍ରକାରର; ଯଥା-
1. ପ୍ରାଣୀସମ ପୋଷଣ,
2. ମୃତୋପଜୀବୀୟ ପୋଷଣ,
3. ପରଜୀବୀୟ ପୋଷଣ
4. ସହଜୀବୀୟ ପୋଷଣ ।
1. ପ୍ରାଣିସମ ପୋଷଣ (Holozoic Nutrition): ଯେଉଁ ପୋଷଣରେ ପ୍ରାଣୀ କିମ୍ବା ଉଦ୍ଭଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କଦ୍ୱାରା ବ୍ୟବହୃତ ହୁଏ, ତାହାକୁ ପ୍ରାଣିସମ ପୋଷଣ କୁହାଯାଏ ।
ଉଦାହରଣ: ମଣିଷ, ବାଘ, ମାଛ, ଆମିବା
2. ମୂତୋପଜୀବୀୟ ପୋଷଣ (Saprophytic Nutrition): ଯେଉଁ ପୋଷଣଦ୍ୱାରା ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି, ତାହାକୁ ମୃତୋପଜୀବୀ ପୋଷଣ କୁହାଯାଏ ।ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ସେମାନେ ଶରୀର ବାହାରେ ଏନ୍ଜାଇମ୍ ତିଆରି କରି ଖାଦ୍ୟକୁ ଭାଙ୍ଗି ପରେ ଶୋଷଣ କରନ୍ତି।
ଉଦାହରଣ: କବକ, ବ୍ୟାକ୍ଟେରିଆ, ଇଷ୍ଟ
3. ପରଜୀବୀୟ ପୋଷଣ (Parasitic Nutrition): ଏଯେଉଁ ପୋଷଣରେ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରନ୍ତି, ତାହାକୁ ପରଜୀବୀୟ ପୋଷଣ କୁହାଯାଏ ।
ଉଦାହରଣ: ମଲାଙ୍ଗ, ନିର୍ମୂଳୀ, ପ୍ଲାସ୍ମୋଡ଼ିୟମ୍ , ଜୋକ, ଉକୁଣୀ
4. ସହଜୀବୀୟ ପୋଷଣ (Symbiotic Nutrition): ଯେଉଁ ପୋଷଣରେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭଦ ଓ ଅଣୁଜୀବ ମଧ୍ଯରେ ପୋଷଣର ଆଦାନପ୍ରଦାନ ହୋଇଥାଏ, ତାହାକୁ ସହଜୀବୀୟ ପୋଷଣ କୁହାଯାଏ । ଏଥିରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ ।
ଉଦାହରଣ: ଲାଇକେନ୍ (ଶାଯନୀ + କବକ), ଆମ ଆନ୍ତ୍ରର E. coli ବ୍ୟାକ୍ଟେରିଆ,ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ
4.ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ। ପାଟିରେ ଖାଦ୍ୟର ପରିବର୍ଭନ କିପରି ହୋଇଥାଏ ବୁଝାଅ ।
Answer: ଖାଦ୍ୟନଳୀର ବିଭିନ୍ନ ଅଂଶ:
1. ମୁଖ ଗଭ୍ୱର (Mouth cavity): ଖାଦ୍ୟ ଚବାଯାଏ, ଲାଳା ଖାଦ୍ୟ ସହିତ ମିଶେ।
2. ଗ୍ରସନୀ (Pharynx): ମୁଖ ଓ ଗ୍ରାସନଳୀ ମଧ୍ୟରେ ସଂଯୋଗ ସ୍ଥଳ।
3. ଗ୍ରାସନଳୀ (Oesophagus): ଖାଦ୍ୟକୁ ପାକସ୍ଥଳୀକୁ ଚାଳନ କରେ।
4. ପାକସ୍ଥଳୀ (Stomach): ଖାଦ୍ୟ ରାସାୟନିକ ଭାବେ ଭାଙ୍ଗାଯାଏ।
5. କ୍ଷୁଦ୍ରାନ୍ତ (Small intestine): ପାଚନ ଓ ଅବଶୋଷଣ ହୁଏ।
6. ବୃହଦନ୍ତ୍ର (Large intestine): ଜଳ ଓ ଲବଣ ଅବଶୋଷଣ ହୁଏ।
7. ମଳାଶୟ (Rectum): ଅବଶିଷ୍ଟ ଖାଦ୍ୟ ସଂଗ୍ରହ ହୁଏ।
8. ମଳଦ୍ୱାର (Anus): ମଳ ବାହାରି ଯାଏ।
ପାଟିରେ ଖାଦ୍ୟର ପରିବର୍ତ୍ତନ:
- ପାଟି ବାଟେ ଖାଦ୍ୟ ଗ୍ରହଣ କଲାପରେ ତାହା ପ୍ରଥମେ ଦାନ୍ତଦ୍ୱାରା ଚର୍ବିତ ଓ ପେଷିତ ହୋଇ ମଣ୍ଡରେ ପରିଣତ ହୁଏ ।
- ପାଟିରେ ଥିବା ଲାଳଗ୍ରନ୍ଥିରୁ ଲାଳ କ୍ଷରିତ ହୋଇ ଚର୍ବିତ ଖାଦ୍ୟ ସହିତ ମିଶେ । ଲାଳରେ ଜଳ, ଲବଣ, ମ୍ୟୁକସ୍ ଓ ସାଲାଇଭାରି ଆମାଇଲେଜ୍ ବା ଟାୟାଲିନ୍ ନାମକ ଏନ୍ଜାଇମ୍ ଥାଏ । ଲାଳ ଚର୍ବିତ ଖାଦ୍ୟକୁ ପିଚ୍ଛିଳ ମଣ୍ଡପରି କରିଦିଏ ।
- ଲାଳ ମୁଖଗହ୍ଵର ଓ ଦାନ୍ତକୁ ସଫା ରଖୁବା ସଙ୍ଗେ ସଙ୍ଗେ ସେଥିରେ ଥିବା ଲାଇସୋଜାଇମ୍ ନାମକ ଏନ୍ଜାଇମ୍ ମୁଖଗହ୍ଵର ଓ ଖାଦ୍ୟରେ ଥିବା ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ ।
- ଲାଳରେ ଥିବା ସାଲାଇଭାରି ଆମାଇଲେଜ୍ ଜଟିଳ ଶ୍ଵେତସାରଜାତୀୟ ମଣ୍ଡଦ (Starch)କୁ ସରଳ ମାଲଟୋଜ୍ରେ ପରିଣତ କରେ ।
5.ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ ।
Answer: ପାକସ୍ଥଳୀର ଗଠନ :
- ପାକସ୍ଥଳୀ ଇଂରାଜୀ ଅକ୍ଷର “J” ଆକୃତିର ଏକ ମାଂସଳ ଥଳୀ । ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ୍ ଓସାରିଆ ।
- ଏହା ମଧ୍ୟଚ୍ଛଦା (Diaphragm) ତଳେ ଉଦର ଗହ୍ଵର (Abdomen)ର ବାମପାର୍ଶ୍ଵରେ ଅବସ୍ଥିତ ।
- ପାକସ୍ଥଳୀର ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।ପାଇଲୋରିକ୍ ଷ୍ଟୋମାକ୍ର ଶେଷ ଭାଗରେ ଥିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ପିନ୍ଟର (Pyloric Sphinter) କୁହାଯାଏ ।
ଏହା ତିନି ଭାଗରେ ବିଭକ୍ତ; ଯଥା – କାର୍ଡିଆକ୍ (Cardiac), ଫଣ୍ଡିକ୍ (Fundic) ଓ ପାଇଲୋରିକ୍ (Pyloric) । ପାକସ୍ଥଳୀର ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
- ପାଇଲୋରିକ୍ ଷ୍ଟୋମାକ୍ର ଶେଷ ଭାଗରେ ଥିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ପିନ୍ଟର (Pyloric Sphinter) କୁହାଯାଏ । ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ ।
- ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକଗୁଡ଼ିଏ ପାକଗ୍ରନ୍ଥି (Gastric glands) ରହିଥାଏ ।
ପାକସ୍ଥଳୀର କାର୍ଯ୍ୟ:
- ପାକସ୍ଥଳୀର ଭିତର ଆଚ୍ଛାଦନରେ ଥିବା ପାଚକ ଗ୍ରନ୍ଥିରୁ ନିଃସୃତ ପାଚକରସରେ ପାଚକ ଏନ୍ଜାଇମ୍ ଓ ଲବଣାମ୍ଳ (HCI) ଥାଏ ।
- ଲବଣାମ୍ଳ ଏକ ଅମ୍ଳୀୟ ପରିବେଶ ସୃଷ୍ଟି କରେ, ଯାହା ପାଚକ ଏନ୍ଜାଇମ୍ଗୁଡ଼ିକର କ୍ରିୟାଶୀଳତା ପାଇଁ ଆବଶ୍ୟକ ହୋଇଥାଏ । ଏହା ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ । ଏହା ମଧ୍ୟ ଖଣିଜ ଲବଣଗୁଡ଼ିକୁ ଦ୍ରବୀଭୂତ କରେ ।
- ଲବଣାମ୍ଳ ପେପ୍ସିନୋଜେନ୍କୁ ପେପ୍ସିରେ ପରିଣତ କରେ । ପେପ୍ସିନ୍ ପୁଷ୍ଟିସାରକୁ ଭାଙ୍ଗି ସରଳ ପ୍ରୋଟିଏଜ୍ ଓ ପେପ୍ଟୋନ୍ରେ ପରିଣତ କରେ ।
6. ପାକନଳୀ ସହ ଜଡ଼ିତ ଗ୍ରନ୍ଥି ଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ।
Answer: ମଣିଷର ପାଚନ ପ୍ରଣାଳୀ ସଠିକ୍ ଭାବରେ କାମ କରିବା ପାଇଁ କିଛି ବିଶେଷ ଗ୍ରନ୍ଥି ଜଡ଼ିତ ଅଛି। ସେଗୁଡ଼ିକ ତଳେ ଦିଆଯାଇଛି
1. ଲାଳ ଗ୍ରନ୍ଥି (Salivary Glands):
କାର୍ଯ୍ୟ: ଲାଳା ଉତ୍ପାଦନ କରିଥାଏ, ଯାହାରେ ଟାୟାଲିନ୍ (Ptyalin) ଥାଏ, ଯେଉଁଥି ଶ୍ଵେତସାରକୁ ମାଲଟୋଜ୍ରେ ପରିଣତ କରେ।
ଉପକାର: ମୁଁହରେ ଖାଦ୍ୟର ପ୍ରାରମ୍ଭିକ ପଚନ ଘଟାଏ।
2. ଯକୃତ (Liver):
କାର୍ଯ୍ୟ: ପିତ୍ତ ରସ (bile juice) ଉତ୍ପାଦନ କରେ, ଏଥୁରୁ କ୍ଷରିତ ପିତ୍ତ ନଳୀ ଦ୍ଵାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ
ଉପକାର: ପିତ୍ତ ରସ ଚର୍ବିକୁ ଅଦ୍ରବୀକରଣ (emulsification) କରି ପାଚନକୁ ସହଜ କରେ।
3. ଅଗ୍ନାଶୟ (Pancreas):
କାର୍ଯ୍ୟ: ଅଗ୍ନ୍ୟାଶୟ ରସ (Pancreatic juice) ଉତ୍ପାଦନ କରେ, ଯାହାରେ ତିନି ପ୍ରମୁଖ ଏନ୍ଜାଇମ୍ ଥାଏ:
- ଆମାଇଲେଜ୍ (Amylase /ଶ୍ଵେତସାର ପାଚନ),
- ପ୍ରୋଟିଏଜ୍ (Protease/ପ୍ରୋଟିନ୍ ପାଚନ),
- ଲାଇପେଜ୍ (Lipase/ଚର୍ବି ପାଚନ)।
ଉପକାର: ଏହି ଏନ୍ଜାଇମ୍ ଗୁଡ଼ିକ ଖାଦ୍ୟ ହଜମକାରୀ ଏନ୍ଜାଇମ୍ ।
ଲାଳ ଗ୍ରନ୍ଥି, ଯକୃତ ଓ ଅଗ୍ନାଶୟ — ଏହି ତିନିଟି ମୁଖ୍ୟ ଗ୍ରନ୍ଥି ଖାଦ୍ୟ ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାୟ।
7.ସଂକ୍ଷିପ୍ତ ଉତ୍ତର ଦିଅ।
(କ) ସହଜୀବୀୟ ପୋଷଣ ବୁଝାଅ।
Answer: ସହଜୀବୀୟ ପୋଷଣ ଏକ ଏମିତି ପୋଷଣ ପ୍ରଣାଳୀ ଯାହାରେ ଦୁଇ ଭିନ୍ନ ପ୍ରଜାତିର ଜୀବ ଏକ ଅନ୍ୟକୁ ଆଶ୍ରୟ କରି ଏକାଠି ବସବାସ କରନ୍ତି ଓ ପରସ୍ପର ଲାଭ ପାଆନ୍ତି। ଏହି ପ୍ରକାର ପୋଷଣରେ ଦୁହେଁ ଜୀବର ଉନ୍ନତି ହୁଏ।
ଉଦାହରଣ: i) ଆମ ଅନ୍ତ୍ରନଳୀରେ ସହଜୀବୀଭାବେ ରହୁଥିବା ଇସ୍ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ B12 (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ଅନ୍ତ୍ରନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ ।
ii) ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବୀତାର ଅନ୍ୟ ଏକ ଉଦାହରଣ |
(ଖ) ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି ?
Answer: ପ୍ରକାର: ୪ ପ୍ରକାର
କର୍ତ୍ତନ (Incisors) – ୮ଟି (ଆଗରେ, କାଟିବା ପାଇଁ)।
ଛେଦକ (Canines) – ୪ଟି (ଚିରିବା ପାଇଁ)।
ଚର୍ବଣ (Premolars) – ୮ଟି (ଚୋବାଇବା ପାଇଁ)।
ପେଷଣ(Molars) – ୧୨ଟି (ଚୋବାଇବା ଓ ପେଷଣ ପାଇଁ)।
ସମୁଦାୟ: ୩୨ଟି ଦାନ୍ତ (ସ୍ଥାୟୀ ଦାନ୍ତ)।
ଟିପ୍ପଣୀ: ଶିଶୁଙ୍କର ୨୦ଟି କ୍ଷୟଶୀଳ ଦାନ୍ତ (Milk teeth) ଥାଏ।
(ଗ) ଜିଭ କେତେ ପ୍ରକାରର ସ୍ଵାଦ ବାରିପାରେ ? ଜିଭର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ ?
Answer: ଜିଭ ୪ ପ୍ରକାରର ସ୍ଵାଦ ବାରିପାରେ:
ଖଟା
ମିଠା
ପିତା
ଲୁଣିଆ
ଅନ୍ୟ କାର୍ଯ୍ୟ:
ଦାନ୍ତ ନିକଟକୁ ଖାଦ୍ୟ ପଠାଇବା
କଥା କହିବାରେ ସାହାଯ୍ୟ କରିବା
(ଘ) ପାକସ୍ଥଳୀରେ ଖାଦ୍ୟର ପରିଣତି ଲେଖ ।
Answer: ପାକସ୍ଥଳୀ (Stomach) ମଣିଷର ପାକନଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଠି ଖାଦ୍ୟର ଅର୍ଦ୍ଧ ପଚନ ଘଟେ।
ପାକସ୍ଥଳୀରେ ଖାଦ୍ୟ ଅନେକ ସମୟ ରହି ମାଂସପେଶୀ ଚଳନ ଓ ପାଚକ ରସ (Gastric juice) ଦ୍ୱାରା ଦହିତ ହୁଏ। ଏହି ପାଚକ ରସରେ ଲବଣାମ୍ଳ (ହାଇଡ୍ରୋକ୍ଲୋରିକ୍ ଆମ୍ଲ -HCl) ଓ ପେପସିନ୍ ଥାଏ। HCl ଖାଦ୍ୟର ଜୀବାଣୁ ଧ୍ୱଂସ କରେ ଓ ପେପସିନ୍ ପ୍ରୋଟିନ୍କୁ ଆମିନୋ ଏସିଡ୍ରେ ଭାଙ୍ଗିଦିଏ। ଏହି ପ୍ରକ୍ରିୟାରେ ଖାଦ୍ୟ ଅର୍ଦ୍ଧ ପଚିତ ଦ୍ରବ ରୂପ — ଯାହାକୁ ତରଳ ମଣ୍ଡ ବା ଚାଇମ୍ (chyme) କୁହାଯାଏ ।
(ଙ)ପାକସ୍ଥଳୀରୁ ଖାଦ୍ୟ ମଣ୍ଡ କେଉଁଠାକୁ ଯାଏ ? ଖାଦ୍ୟର ଅବଶୋଷଣ ପରେ ଅବଶିଷ୍ଟ ଖାଦ୍ୟର ପରିଣତି ଲେଖ।
Answer : ପାକସ୍ଥଳୀରୁ ଖାଦ୍ୟମଣ୍ଡ (କାଇମ୍) କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ଯାଏ । ଏଠାରେ ସ୍ନେହସାର ଖାଦ୍ୟର ଅବଦ୍ରବୀକରଣ ହୋଇଯାଏ ଓ ଖାଦ୍ୟ ଦ୍ରବ୍ୟ ସାମାନ୍ୟ କ୍ଷାରୀୟ ହୋଇଥାଏ ।
ଖାଦ୍ୟର ଅବଶେଷଣ ପରେ ଅବଶିଷ୍ଟ ଖାଦ୍ୟ ବୃହଦନ୍ତକୁ ଯାଏ । ସେଠାରେ ଖାଦ୍ୟମଣ୍ଡରେ ଥିବା ବଳକା ଅଜୀର୍ଣ୍ଣ ଖାଦ୍ୟ ମଳରେ ପରିଣତ ହୋଇଥାଏ । ମଳ ମଳାଶୟରେ କିଛି ସମୟ ରହିବା ପରେ ମଳଦ୍ଵାର ଦେଇ ନିଷ୍କାସିତ ହୁଏ ।
(ଚ)‘ଆଲୋକ ପ୍ରକ୍ରିୟା’ ବୁଝାଅ ।
Answer: ସ୍ଥାନ: କ୍ଲୋରୋପ୍ଲାଷ୍ଟର ଥାଇଲାକଏଡ୍ ଝିଲ୍ଲୀରେ ଘଟେ।
ଆବଶ୍ୟକୀୟ ଉପାଦାନ: ସୂର୍ଯ୍ୟାଲୋକ, କ୍ଲୋରୋଫିଲ୍, ଜଳ (H₂O)।
ମୁଖ୍ୟ ଘଟଣା:
ଜଳ ବିଶ୍ଳେଷଣ (Photolysis): H₂O → H⁺ + e⁻ + O₂ (ଅମ୍ଳଜାନ ମୁକ୍ତ ହୁଏ)।
ATP ଓ NADPH ସୃଷ୍ଟି: ସୌର ଶକ୍ତି ରାସାୟନିକ ଶକ୍ତି (ATP ଓ NADPH) ରେ ପରିଣତ ହୁଏ।
ଫୋଟୋସିଷ୍ଟମ୍-I ଓ II ଏହି ପ୍ରକ୍ରିୟାରେ ଭୂମିକା ନିଅନ୍ତି।
(ଛ) ଆଲୋକଶ୍ଳେଷଣରେ ରୁବିସ୍କୋର ଭୂମିକା ବୁଝାଅ ।
ପ୍ରଧାନ କାର୍ଯ୍ୟ: କାର୍ବନ୍ ଡାଇଅକ୍ସାଇଡ୍ (CO₂) ସ୍ଥିରକରଣ କରି କ୍ୟାଲଭିନ୍ ଚକ୍ର (ଅନ୍ଧକାର ପ୍ରକ୍ରିୟା) ଆରମ୍ଭ କରେ।
ପ୍ରତିକ୍ରିୟା:
RuBisCO, 5-କାର୍ବନ୍ ଯୁକ୍ତ RuBP ସହିତ CO₂ ମିଶି 2 ଅଣୁ 3-କାର୍ବନ୍ PGA (3-ଫସ୍ଫୋଗ୍ଲିସେରିକ୍ ଏସିଡ୍) ସୃଷ୍ଟି କରେ।
ମହତ୍ତ୍ୱ:
ଏହା ପୃଥିବୀର ସବୁଠାରୁ ଅଧିକ ପରିମାଣରେ ଥିବା ଏନଜାଇମ୍।
ଉଦ୍ଭିଦରେ ଗ୍ଲୁକୋଜ୍ ସୃଷ୍ଟିର ମୂଳ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ।
8.ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଜିଭର କାର୍ଯ୍ୟ କ’ଣ ?
Answer: ଜିଭର କାର୍ଯ୍ୟ: ଜିଭ ଖାଦ୍ୟର ସ୍ଵାଦ ବାରିବା, ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା, କଥା କହିବାରେ ସହାୟତା କରିବା
(ଖ) ମଣିଷ ମାଢ଼ିରେ କେଉଁ ପ୍ରକାର ଦାନ୍ତ ରହିଛି ?
Answer: ମଣିଷ ମାଢ଼ିରେ ଦାନ୍ତ: କର୍ତନ, ଶ୍ୱାନ, ଚର୍ବଣ ଓ ପେଷଣ ଦାନ୍ତ ଥାଏ।
(ଗ) ପିତ୍ତର କାର୍ଯ୍ୟ କ’ଣ ?
Answer: ଖାଦ୍ୟର ଅମ୍ଳତ୍ୱ ଦୂର କରିବା ସହିତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇବାରେ ସାହାଯ୍ୟ କରେ ।
(ଘ) ବୃହଦନ୍ତ୍ରରେ କ’ଣ ଅବଶୋଷଣ ହୋଇଥାଏ ?
Answer: ବୃହଦନ୍ତ୍ରରେ ଜଳ ଓ ଖଣିଜ ଲବଣ ଅବଶୋଷଣ ହୁଏ
(ଚ) ଆଲୋକ ପ୍ରକ୍ରିୟାରେ କ’ଣ ଉପୂନ୍ନ ହୁଏ ?
Answer: ATP, NADPH ଓ ଅମ୍ଳଜାନ ଉତ୍ପନ୍ନ ହୁଏ।
(ଛ) ଆଲୋକଶ୍ଲେଷଣ ଶକ୍ତି କ’ଣ ?
Answer: ATP ଓ NADPH ମିଶି ତିଆରି ହେଉଥିବା ଶକ୍ତିକୁ ଆଲୋକଶ୍ଲେଷଣ ଶକ୍ତି କୁହାଯାଏ
9. ଗୋଟିଏ ଶବ୍ଦରେ ଉତ୍ତର ଦିଅ
(କ) ଅନ୍ଧକାର ପ୍ରକ୍ରିୟାରେ ଗୋଟିଏ ଗ୍ଲୁକୋଜ ପ୍ରସ୍ତୁତ କରିବା ପାଇଁ କେତୋଟି CO2ର ଆବଶ୍ୟକତା ପଡ଼ିଥାଏ ?
Answer: 6 ଟି
(ଖ) ଥାଇଲାକଏଡ଼୍ ଝିଲ୍ଲୀରେ ପ୍ରବାହିତ ହେଉଥିବା ଇଲେକ୍ଟ୍ରନ୍ ପରିଶେଷରେ କେଉଁଠାରେ ପହଞ୍ଚିଥାଏ ?
Answer: ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହିତ ଇଲେକ୍ଟ୍ରନ୍ ବାହକ ଅଣୁ ମାଧ୍ୟମରେ ଗ୍ରାହକ ଅଣୁ ପାଖରେ ପହଞ୍ଚେ ।
(ଗ) ଟାୟାଲିନ୍ ଏନ୍ଜାଇମ୍ କେଉଁଥିରେ ରହିଥାଏ ?
Answer: ଲାକରେ
(ଘ) ଆମ ଶରୀରର କେଉଁଟି ଏକ ମିଶ୍ରିତ ଗ୍ରଚ୍ଥି ଅଟେ ?
Answer: ଅଗ୍ନ୍ୟାଶୟ
10. ଶୂନ୍ୟସ୍ଥାନ ପୂରଣ କର
(କ)ପାକସ୍ଥଳୀର ଉପର ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ _ କୁହାଯାଏ |
Answer: ପାକସ୍ଥଳୀର ଉପର ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
(ଖ) ମଲାଙ୍ଗ, ନିର୍ମୂଳୀ ଆଦି ______ ଉଭିଦ ଅଟନ୍ତି।
Answer: ମଲାଙ୍ଗ, ନିର୍ମୂଳୀ ଆଦି ପରଜୀବୀ ଉଭିଦ ଅଟନ୍ତି ।
(ଗ) ଲାଳରେ ନାମକ _____ ଏନ୍ଜାଇମ୍ ଥାଏ।
Answer: ଲାଳରେ ଟାୟାଲିନ୍ (Ptyalin) ନାମକ ଏନ୍ଜାଇମ୍ ଥାଏ ।
(ଘ) ଖାଦ୍ୟ ଓ ପବନକୁ ଯେ ଯାହା ବାଟରେ ଚାଳନ କରିବା ପାଇଁ ଗ୍ରସନୀରେ _______ରହିଛି |
Answer:ଖାଦ୍ୟ ଓ ପବନକୁ ଯେ ଯାହା ବାଟରେ ଚାଳନ କରିବା ପାଇଁ ଗ୍ରସନୀରେ ରହିଛି ଅଧକିଦ୍ବା ବା ଏପିଗ୍ଲଟିସ୍ (Epiglottis) କୁହାଯାଏ ।
(ଙ) ପିତ୍ତ ସ୍ନେହସାର ଜାତୀୟ ଖାଦ୍ୟର ______ କରାଇଥାଏ।
Answer: ପିତ୍ତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ ବା ଇମଲ୍ସିଫିକେସନ୍ (Emulsification) କରାଇଥାଏ ।
(ଚ) ଜଳର ଆଲୋକ ବିଶ୍ଳେଷଣ ଥାଇଲାକଏଡର ______ ରେ ହୁଏ ।
Answer: ଜଳର ଆଲୋକ ବିଶ୍ଳେଷଣ ଥାଇଲାକଏଡର ପରିବେଶରେ ହୁଏ
11.ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ)ପିତ୍ତରେ ରହିଥିବା ଟାୟାଲିନ୍ ସ୍ପେହସାର ଜାତୀୟ ଖାଦ୍ୟର ଅଦ୍ରବୀକରଣ କରାଏ |
Answer: ପିତ୍ତରେ ରହିଥିବା ପିତ୍ତଲବଣ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଏ ।
(ଖ) ମଣିଷର ପ୍ରତି ମାଢ଼ିରେ ୨ଟି କର୍ଜନ ଦାନ୍ତ ରହିଛି ।
Answer: ମଣିଷର ପ୍ରତି ମାଢ଼ିରେ ୪ଟି କର୍ତନ ଦାନ୍ତ ରହିଛି ।
(ଗ) ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୃଷ୍ଠିସାଧନ କରିଥାନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ ।
Answer: ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।
(ଘ) ପ୍ଲାସ୍ମୋଡ଼ିୟମ୍ ଏକ ବାହ୍ୟପରଜୀବୀ |
Answer: ପ୍ଲାସ୍ମୋଡ଼ିୟମ୍ ଏକ ଅନ୍ତଃପରଜୀବୀ ।
12.ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ)ଗୁକୋଜ୍ : ଶ୍ଵେତସାର : : ଏମିନୋ ଏସିଡ୍ ____ |
Answer:
ଗୁକୋଜ୍ : ଶ୍ଵେତସାର : : ଏମିନୋ ଏସିଡ଼୍ : ପୁଷ୍ଟିସାର
(ଗୁକୋଜ୍ ଶ୍ଵେତସାରର ମୌଳିକ ଏକକ, ଠିକ୍ ସେହିପରି ଏମିନୋ ଏସିଡ୍ ପୁଷ୍ଟିସାର ମୌଳିକ ଏକକ।)
( ଖ) ପ୍ଲାସ୍ମୋଡ଼ିୟମ୍ : ଅନ୍ତଃପରଜୀବୀ : : ଉକୁଣୀ ______|
Answer:
ପ୍ଲାସ୍ମୋଡ଼ିୟମ୍ : ଅନ୍ତଃପରଜୀବୀ : : ଉକୁଣୀ : ବାହ୍ୟପରଜୀବୀ
(ପ୍ଲାସ୍ମୋଡ଼ିୟମ୍ ଅନ୍ତଃପରଜୀବୀ, ଯେପରି ଉକୁଣୀ ବାହ୍ୟପରଜୀବୀ।)
(ଗ) ଖାଦ୍ୟନଳୀର ଦ୍ଵାର : ଗଲେଟ୍ : : ଶ୍ଵାସନଳୀର ଦ୍ଵାର ______|
Answer:
ଖାଦ୍ୟନଳୀର ଦ୍ଵାର : ଗଲେଟ୍ : : ଶ୍ଵାସନଳୀର ଦ୍ଵାର : ଗ୍ଲଟିସ୍
( ଖାଦ୍ୟନଳୀର ପ୍ରବେଶଦ୍ଵାରକୁ ଗଲେଟ୍ କୁହାଯାଏ, ଠିକ୍ ସେହିପରି ଶ୍ଵାସନଳୀର ପ୍ରବେଶଦ୍ଵାରକୁ ଗ୍ଲଟିସ୍ କୁହାଯାଏ। )
(ଘ) ଗ୍ଲାଇକୋଲିସିମ୍ : କୋଷଜୀବକ : ସାଇଟ୍ରିକ୍ ଅମ୍ଳଚକ୍ର _______ |
Answer:
ଗ୍ଲାଇକୋଲିସିସ୍ : କୋଷଜୀବକ : : ସାଇଟ୍ରିକ୍ ଅମ୍ଳଚକ୍ର : ମାଇଟୋକଣ୍ଡ୍ରିଆ
( ଗ୍ଲାଇକୋଲିସିସ୍ ପ୍ରକ୍ରିୟା କୋଷଜୀବକରେ ଘଟେ, ଯେପରି ସାଇଟ୍ରିକ୍ ଅମ୍ଳଚକ୍ର ମାଇଟୋକଣ୍ଡ୍ରିଆରେ ଘଟେ। )